Live weather

Showing posts with label ବ୍ରହ୍ମପୁର. Show all posts
Showing posts with label ବ୍ରହ୍ମପୁର. Show all posts

Wednesday, April 5, 2023

ପ୍ରସିଦ୍ଧ ବ୍ରହ୍ମପୁର ବୁଢି ଠାକୁରାଣୀ ଯାତ୍ରା ଆରମ୍ଭ: ଅସ୍ଥାୟୀ ପୀଠରେ ମା’ ସାଆନ୍ତାଣୀ

ରେଶମ ସହରର ପ୍ରସିଦ୍ଧ ଦ୍ବିବାର୍ଷିକ ମା’ ବୁଢି ଠାକୁରାଣୀ ଯାତ୍ରା ମଙ୍ଗଳବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଛି। ବୁଧବାର ଭୋରରେ ଦେବୀ ଦେଶୀବେହେରା ସାହି ସ୍ଥିତ ବାପା ଘରେ ବିଜେ କରିଛନ୍ତି। ଭକ୍ତମାନେ ଭୋରରୁ ଅସ୍ଥାୟୀ ପୀଠରେ ଦେବୀଙ୍କ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି।

ମଙ୍ଗଳବାର ରାତି ୧୧.୪୦ରେ ବାପା ତଥା ଯାତ୍ରାର ମୁଖ୍ୟ ଆୟୋଜକ ପି.ଦୁର୍ଗାପ୍ରସାଦ ଦେଶୀବେହେରା, ମାଆ ପି.ଦେବକୀ ପଟୁଆରରେ ଠାକୁରାଣୀଙ୍କୁ ପାଛୋଟି ଆଣିବାକୁ ଦେବୀଙ୍କ ପ୍ରିୟ ଇଟିମଳା ଫୁଲ ମାଳ ଚିଙ୍ଗୁଡ଼ି ଧରି ଠାକୁରାଣୀ ମନ୍ଦିରକୁ ବାହାରିଥିଲେ। ପଟୁଆରରେ ସାମିଲ ଥିଲା ବାଦ୍ୟବାଜଣା, ପରଭାଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁ। ନୀତି ମୁତାବକ ମୂଳ ମନ୍ଦିରରେ ଦେଶୀବେହେରା ସପତ୍ନୀକ ପୂଜା କରିବା ପରେ ଆଜ୍ଞାମାଳ ମିଳେ। ତାହାକୁ ପି.ଦେବକୀ ଇଟିମଳା ଫୁଲ ଚାଙ୍ଗୁଡ଼ିରେ ରଖି ମୁଣ୍ଡରେ ବୋହି ଅସ୍ଥାୟୀ ପୀଠକୁ ଆଣିଥାନ୍ତି। ରାସ୍ତାରେ ଭକ୍ତମାନେ ଘର ଆଗରେ ଝୋଟି ପକାଇ, ପୂର୍ଣ୍ଣ କୁମ୍ଭ କଳସ ଥୋଇ, ନୂଆ ଲୁଗା ପକାଇ ମା’ଙ୍କୁ ସ୍ଵାଗତ ଜଣାଇଥିଲେ। ମା’ଙ୍କୁ ଏକ ବର୍ଣ୍ଣାଢ଼୍ୟ ପଟୁଆରରେ ଶାଶୂ ଘର ବା ସ୍ଥାୟୀ ମନ୍ଦିରରୁ ବାପା ଘର ଦେଶୀବେହେରା ସାହିକୁ ପାଛୋଟି ଅଣାଯାଇ ଥିଲା।



ମା’ ସାଆନ୍ତାଣୀ ବିଜେ କରିବା ପୂର୍ବରୁ ଅସ୍ଥାୟୀ ପୀଠକୁ ଭଳିକି ଭଳି ଫୁଲରେ ସୁସଜ୍ଜିତ କରାଯାଇ ଥିଲା। ହର୍ଷ ଉଲ୍ଲାସର ସହିତ ଦେବୀ ଠାକୁରାଣୀଙ୍କୁ ଦେଶୀବେହେରା ସାହିକୁ ଅଣାଯାଇ ଥିଲା। ମେ ପହିଲା ରାତିରେ ଯାତ୍ରା ସମାପନ ସହ ଦେବୀ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।
ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ଯାତ୍ରା ସ୍ଥଳରେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।
By Newsroom Odisha Network on April 5, 2023

Thursday, December 22, 2022

ଗଞ୍ଜାମ ଜିଲ୍ଲାର ବୋମକେଇ ହସ୍ତତନ୍ତ ଶିଳ୍ପକୁ ମିଳିବାକୁ ଯାଉଛି ପୁଣି ଏକ ଉଲ୍ଲେଖନୀୟ ସ୍ବୀକୃତି

👏ବୋମକେଇ ଓଢ଼ଣୀରେ ସ୍ବଚ୍ଛତା ବାର୍ତ୍ତା: ହସ୍ତତନ୍ତ ପୁରସ୍କାର ଦୌଡ଼ରେ ସାମିଲ 

 👏ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର ବୁଣାକାରଙ୍କ ଦ୍ଵାରା ତିଆରି କରାଯାଉଥିବା ଶାଢ଼ୀ ବୋମକେଇ ଶାଢ଼ୀ ଭାବେ ପରିଚିତ।

ଗଞ୍ଜାମ ଜିଲ୍ଲାର ହସ୍ତତନ୍ତ ଶିଳ୍ପକୁ ପୁଣି ଏକ ଉଲ୍ଲେଖନୀୟ ସ୍ବୀକୃତି ମିଳିବାକୁ ଯାଉଛି। ଗଞ୍ଜାମର ଅନ୍ୟତମ ହାତ ତିଆରି କାରିଗରୀ ତଥା ବୋମକେଇ ପାଟ ଶାଢ଼ୀ ସହ ସମ୍ପୃକ୍ତ ଓଢ଼ଣୀରେ ନିଆରା ଡିଜାଇନ୍ ରାଜ୍ୟ ହସ୍ତତନ୍ତ ପୁରସ୍କାର ଦୌଡ଼ରେ ସାମିଲ୍ ହୋଇପାରିଛି। ଆଉ ଏହା ପଛରେ ରହିଛନ୍ତି ଜଣେ ଯୁବ ବୁଣାକାର ୟୁ.ନୀଳକଣ୍ଠ। ନିଜ ହାତବୁଣା ଓଢ଼ଣୀରେ ସ୍ୱଚ୍ଛତାର ଚିତ୍ର ଆଙ୍କି ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ସେ। ଆଉ ସେଥିପାଇଁ ଓଢ଼ଣୀ ଦେହରେ ବୁଣା ଯାଇଥିବା ସ୍ୱଚ୍ଛତାର ଚିତ୍ର ରାଜ୍ୟ ହସ୍ତତନ୍ତ ପୁରସ୍କାର ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇପାରିଛି। 

ହାତତିଆରି ଉତ୍ପାଦନ ପ୍ରସ୍ତୁତ କରୁଥିବା ପାରମ୍ପରିକ ବୁଣାକାରଙ୍କ ଗ୍ରାମ ଭାବେ ନାଁ କମାଇଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର। ଏଠାରେ ବୁଣାକାରଙ୍କ ଦ୍ଵାରା ତିଆରି କରାଯାଉଥିବା ଶାଢ଼ୀ ବୋମକେଇ ଶାଢ଼ୀ ଭାବେ ପରିଚିତ। ଏହି ଗ୍ରାମର ବାସିନ୍ଦା ୟୁ.ନୀଳକଣ୍ଠ ଏବଂ ତାଙ୍କର ୮ ଜଣିଆ ପରିବାର ପୂର୍ବରୁ କଟନ୍‌ ଲୁଗା ତିଆରି କରୁଥିଲେ। ଗତ କିଛି ମାସ ହେବ ନୀଳକଣ୍ଠ ବୋମକେଇ ଡିଜାଇନ୍‌କୁ ନିଜ ହାତ ତିଆରି ଶାଢ଼ୀ ବୁଣାରେ ପ୍ରୟୋଗ କରିବାରେ ଲାଗିଛନ୍ତି। ବୟନ ବିଭାଗ ତତ୍ତ୍ଵାବଧାନରେ ବୋମକେଇ ଡିଜାଇନ୍‌ରେ ନୀଳକଣ୍ଠ ବୁଣିଛନ୍ତି ଏକ ଓଢ଼ଣୀ ଯାହାର ଥିମ୍ ରହିଛି ସ୍ୱଚ୍ଛ ଭାରତ ଅଭିଯାନ। ଆଧୁନିକତାର ତାଡ଼ନାରେ ଧିରେ ଧିରେ ନିଜ ସତ୍ତା ସଂରକ୍ଷଣ ସକାଶେ ସଂଘର୍ଷରତ ପ୍ରସିଦ୍ଧ ବୋମକେଇର ପୁନରୁଦ୍ଧାର ଦିଗରେ ଏକ ପ୍ରୟାସ ସ୍ୱରୂପ ସାମ୍ପ୍ରତିକ ସମୟର ଏକ ଥିମ୍‌କୁ ଗ୍ରହଣ କରିଛନ୍ତି ନୀଳକଣ୍ଠ। 

୨.୫ ମିଟର ଲମ୍ବ ଓ ୦.୯୫ ମିଟର ଓସାରର ବୋମକେଇ କଟନ୍ ଓଢ଼ଣୀ ବୁଣିବାକୁ ତିନି ମାସ ସମୟ ନେଇଥିଲେ ନୀଳକଣ୍ଠ। ପ୍ରଥମେ ଏହାର ଗ୍ରାଫ୍ ଆଙ୍କିଥିଲେ ଓ ସେହି ଅନୁସାରେ ଡିଜାଇନ୍ ପ୍ରସ୍ତୁତି କରି ଏହାକୁ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ବୁଣି ତିଆରି କରିଥିଲେ ସେ। ଓଢ଼ଣୀର ଗୋଟିଏ ପାର୍ଶ୍ବରେ ବୋମକେଇ ଡିଜାଇନ୍ ଚିତ୍ରିତ ହୋଇଛି ତ ଅପର ପାର୍ଶ୍ଵରେ ରହିଛି ଗାନ୍ଧିଜୀଙ୍କ ଚିତ୍ର, ଚଷମା ଓ ଚରଖା।

ସେଥିରେ ଲେଖାଯାଇଥିବା ‘ଏକ୍ କଦମ୍ ସ୍ୱଚ୍ଛତା କୀ ଔର୍’ ସ୍ୱଚ୍ଛତା ଅଭିଯାନର ସଚେତନତାମୂଳକ ବାର୍ତ୍ତା ପରିବେଷଣ କରୁଛି। ଏହି ଓଢ଼ଣୀ ରାଜ୍ୟ ହସ୍ତତନ୍ତ ପୁରସ୍କାର ଦୌଡ଼ରେ ରହିଛି।