Live weather

Friday, September 26, 2025

ଗଞ୍ଜାମ ଜିଲ୍ଲାର କାଠପାଦ ନୃତ୍ୟ ଦିନେ ଲୋପ ପାଇବାକୁ ବସିଥିଲା । ଏବେ ଏହାକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଆଗେଇ ଆସିଛନ୍ତି ଛାତ୍ରୀମାନେ

ଆଧୁନିକତାର ଛାପରେ ଅନେକ ଲୋକକଳା ନିଜର ଅସ୍ତିତ୍ବ ହରାଇଛନ୍ତି । ହେଲେ ଯୁବପିଢିଙ୍କର ନିଜ ଲୋକକଳାକୁ ବିଶ୍ବ ଦରବାରରେ ପହଞ୍ଚାଇବା ନେଇ ଦୃଢ ପ୍ରତିବଦ୍ଧତା କାଠପାଦ ନୃତ୍ୟକୁ ଦେଇଛି ଏକ ନୂତନ ପରିଚୟ । ରଣପା ନୃତ୍ୟ ପାଇଁ ପ୍ରସିଦ୍ଧ ଗଞ୍ଜାମ ହିଁ କାଠପାଦ ନୃତ୍ୟକଳାର ଏନ୍ତୁଡ଼ିଶାଳ । ଏହି ନୃତ୍ୟ ଆଗରୁ କେବଳ କିଛି ଗ୍ରାମ୍ୟ ଦେବାଦେବୀଙ୍କ ଯାତ୍ରା ସମୟରେ ପରିବେଷଣ କରାଯାଉଥିଲା । ମାତ୍ର ସମୟ କ୍ରମେ ଯୁବପିଢି ଏଥିପ୍ରତି ଉତ୍ସାହ ଦେଖାଇ ବର୍ତ୍ତମାନ ଏହି ନୃତ୍ୟକଳାକୁ ସମଗ୍ର ବିଶ୍ବରେ ଉପସ୍ଥାପନ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଚାଲନ୍ତୁ ଦେଖିବା ଗଞ୍ଜାମର କାଠପାଦ ନୃତ୍ୟକୁ ନେଇ ଇଟିଭି ଭାରତର ସ୍ୱତନ୍ତ୍ର ରିପୋର୍ଟ ।

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ କାଠପାଦ ନୃତ୍ୟ ପାଇଁ ପ୍ରଶିକ୍ଷଣ ନେଉଛନ୍ତି ବହୁ ଛାତ୍ରୀମାନେ । କାଠରେ ପ୍ରସ୍ତୁତ ପାଦାକୃତି ଉପରେ ଠିଆ ହୋଇ ଦୀର୍ଘ ସମୟ ଧରି ନିୟମିତ ଅଭ୍ୟାସ କରୁଛନ୍ତି ବହୁ ଛାତ୍ରୀ । ପୂର୍ବରୁ ଓଡିଶୀଚମ୍ପୁସମ୍ୱଲପୁରୀ ଭଳି ନୃତ୍ୟ ଶିକ୍ଷା ପାଇଁ ଅଧିକ ଛାତ୍ରୀମାନେ ଆଗ୍ରହ ପ୍ରକାଶ କରୁଥିଲେ । ମାତ୍ର ବର୍ତ୍ତମାନ ଏହି ପାରମ୍ପାରିକ କାଠପାଦ ନୃତ୍ୟ ପ୍ରତି ଛାତ୍ରୀମାନଙ୍କ ଆଗ୍ରହ ବୃଦ୍ଧି ପାଉଛି ଗଞ୍ଜାମର ଅନ୍ୟତମ ପାରମ୍ପାରିକ ନୃତ୍ୟ 'ରଣପା'କୁ ପୁରୁଷମାନେ ପରିବେଷଣ କରିଥାନ୍ତି । ଏଥିରେ ପ୍ରାୟ 6 ଫୁଟ ଉଚ୍ଚ ବାଉଁଶ କାଠି ଉପରେ ଠିଆ ହୋଇ ଅପୂର୍ବ ସନ୍ତୁଳନ ରକ୍ଷା କରି ନୃତ୍ୟ ପରିବେଷଣ କରାଯାଇଥାଏ । ସେହି ଗଞ୍ଜାମର ଛତ୍ରପୁର ଠାରେ କାଠପାଦ ନୃତ୍ୟର ଉତ୍ପତ୍ତି । ଏହି ନୃତ୍ୟର ବିଶେଷତ୍ବ ହେଉଛି କାଠରେ ତିଆରି ପାଦାକୃତି ଉପରେ ଠିଆ ହୋଇ ନୃତ୍ୟ ପରିବେଷଣ କରିବା । ଯାହାର ଉଚ୍ଚତା 1 ଫୁଟରୁ ନେଇ ଦେଢ ଫୁଟ ମଧ୍ୟରେ ରହିଥାଏ । ଏପରି କାଠପାଦ ଉପରେ ଠିଆ ହେବା ଏବଂ ଶରୀରର ଭାରସାମ୍ୟ ବଜାୟ ରଖି ନୃତ୍ୟ ପରିବେଷଣ କରିବା କଷ୍ଟସାଧ୍ୟ କାର୍ଯ୍ୟ ଅଟେ । ହେଲେ କାଠପାଦ ନୃତ୍ୟ ପ୍ରତି ଏବେ ଛାତ୍ରୀମାନେ ମଧ୍ୟ ଆଗ୍ରହ ପ୍ରକାଶ କରି ନୃତ୍ୟ ଶିକ୍ଷା କରୁଛନ୍ତି । ଏବଂ ଆଗାମୀ ଦିନରେ ଏହାକୁ ବିଶ୍ବସ୍ତରରେ ପ୍ରଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

କାଠପାଦ ଦେଇଛି ନୂତନ ପରିଚୟ:କାଠରେ ପ୍ରସ୍ତୁତ ହୋଇଥିବା ପାଦ କୃତିକୁ ପାଦରେ ବାନ୍ଧି ନୃତ୍ୟ ପାଇଁ ପ୍ରସ୍ତୁତ ହୋଇଥାନ୍ତି ନୃତ୍ୟଙ୍ଗନାମାନେ। ନିଜର ଦୁଇ ପାଦରେ କାଠପାଦକୁ ପରିଧାନ କରିବା ପରେ ଭୂମି ଠାରୁ ଏକ ଫୁଟରୁ ଦେଢ ଫୁଟ ଉଚ୍ଚତାରେ ଠିଆ ହୋଇ ରହିବା ସହିତ ବାଦ୍ୟର ତାଳେ ତାଳେ କଳାକାର ମାନେ ନାଚିଥାନ୍ତି । ଏଭଳି ଏକ ଲୋକନୃତ୍ୟ ହେଉଛି ଗଞ୍ଜାମର କାଠପାଦ ନୃତ୍ୟ । ପୂର୍ବରୁ ରଣପା ଏବଂ ଏବେ କାଠପାଦ ନୃତ୍ୟ ଜିଲ୍ଲାକୁ ଏକ ନୂତନ ପରିଚୟ ଦେଇଛି । ଏହା ପୁରାତନ ଲୋକନୃତ୍ୟ ହେବା ସହ ଏକ କଷ୍ଟସାଧ୍ୟ ନୃତ୍ୟ ମଧ୍ୟ । ଏଥିପାଇଁ କେବଳ ପୁରୁଷମାନେ ହିଁ ଏହାକୁ କେବଳ ଗ୍ରାମ୍ୟଦେବୀଙ୍କ ଯାତ୍ରା ସମୟରେ ପରିବେଷଣ କରୁଥିଲେ । ହେଲେ ସମୟ ସହିତ ତାଳ ଦେଇ ଏହି ନୃତ୍ୟ ପ୍ରତି ଧିରେ ଧିରେ ଛାତ୍ରୀମାନେ ମଧ୍ୟ ଆକର୍ଷିତ ହେଉଛନ୍ତି ।

କାଠପାଦ ନୃତ୍ୟରେ ଦର୍ଶକ ବିଭୋର:

କାଠପାଦ ନୃତ୍ୟ ତାର ପରିବେଶଣ ଶୈଳୀ ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଦୃତ । ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରମୁଖ ମଞ୍ଚରେ ଛାତ୍ରୀମାନେ କାଠପାଦ ନୃତ୍ୟ ପରିବେଷଣ କରୁଛନ୍ତି । ଏବଂ ଦର୍ଶକମାନେ ମଧ୍ୟ ଏହି ନୃତ୍ୟ ଶୈଳୀରେ ଖୁବ ବିଭୋର ହୋଇ ଏହାର ଉପଭୋଗ କରୁଛନ୍ତି ଆସୁଥିବା ଦେଖିବାକୁ ମିଳିଛି । ରାଜ୍ୟର ପ୍ରମୁଖ ମହୋତ୍ସବ ଠାରୁ ଆରମ୍ଭ କରି ଅନେକ ସାଂସ୍କୃତିକ ମଞ୍ଚରେ ଏହାକୁ ବିଭିନ୍ନ ସଙ୍ଗୀତ ଓ ବାଦ୍ୟର ତାଳେ ତାଳେ ନୃତ୍ୟରେ ପରିବେଷଣ କରି ଆସୁଥିବା ବେଳେ ଆଗମୀ ଦିନରେ ଏହାକୁ ଦେଶର ପ୍ରମୁଖ ଉତ୍ସବ ଏବଂ ବିଦେଶରେ ପରିବେଷଣ କରିବା ପାଇଁ ଛାତ୍ରୀ ପ୍ରସ୍ତୁତ ହେଉଛନ୍ତି କହିଛନ୍ତି ।

ବିଭିନ୍ନ ସ୍ଥାନରେ ଲୋକପ୍ରିୟତା ହାସଲ କରୁଛି କାଠପାଦ ନୃତ୍ୟ:

କାଠପାଦ ନୃତ୍ୟ ଶିକ୍ଷା କରୁଥିବା ଛାତ୍ରୀ ବର୍ଷା ଦାଶ କହିଛନ୍ତି,"ପ୍ରଥମେ କାଠପାଦକୁ ପିନ୍ଧି ଶରୀରର ସନ୍ତୁଳନ ରକ୍ଷା କରିବା କଷ୍ଟକର ହୋଇଥିଲା । ହେଲେ ନିୟମିତ ଅଭ୍ୟାସ କରିବା ଏବଂ ଗୁରୁଙ୍କ ଶିକ୍ଷା ପାଇ ଏହାକୁ ପିନ୍ଧି କରି ନୃତ୍ୟ ପରିବେଷଣ କରାଯାଇପାରିବ । ନିୟମିତ ଶିକ୍ଷା ଓ କଠିନ ପରିଶ୍ରମ କରି ଏହି ନୃତ୍ୟକୁ ପରିବେଷଣ କରିବା ସମ୍ଭବପର ହୋଇଥାଏ । ଆମ ଦଳ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପାରମ୍ପାରିକ ନୃତ୍ୟ ପରିବେଷଣ କରୁଛି । ରାଜଧାନୀ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ଠାରୁ ଆରମ୍ଭ କରି ଗୋପାଳପୁର ବେଳାଭୂମି ମହୋତ୍ସବ ପର୍ଯ୍ୟନ୍ତ ଏବଂ ଛତ୍ରପୁର ମହୋତ୍ସବ ଭଳି ଅନେକ ସ୍ଥାନରେ ଆମେ ମଞ୍ଚରେ ଏହି ନୃତ୍ୟକୁ ପରିବେଷଣ କରିବାର ସୁଯୋଗ ପାଇଛୁ ।"

ଦେଶ ବାହାରେ ଏହାକୁ ପରିବେଷଣ କରିବା ଲକ୍ଷ୍ୟ:ଅନ୍ୟ ଜଣେ ଛାତ୍ରୀ ଅର୍ଚ୍ଚିତା ପଣ୍ଡା କହିଛନ୍ତି, "ମୁଁ ଛୋଟ ବେଳେ ଠାକୁରାଣୀ ଯାତ୍ରା ସମୟରେ ମାକାଳୀଙ୍କ ମୁଖା ପରିଧାନ କରି ଚାଙ୍ଗୁ ବାଦ୍ୟର ତାଳେ ତାଳେ କାଠପାଦ ନୃତ୍ୟ ପରିବେଷଣ ହେଉଥିବା ଦେଖିଥିଲି । ଏହି ନୃତ୍ୟ ମୋତେ ଖୁବ ଆକର୍ଷିତ କରିଥିଲା । ଏବଂ ଏବେ କାଠପାଦ ନୃତ୍ୟର ପ୍ରଶିକ୍ଷଣ ନେଇ ଏହାକୁ ପରିବେଷଣ କରିବାର ସୁଯୋଗ ପାଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁରଏହାର ଆଖାପାଖ ଅଞ୍ଚଳ ଏବଂ ନରେନ୍ଦ୍ରପୁର ଭଳି ଅଞ୍ଚଳରେ ଏହି ନୃତ୍ୟର ଲୋକପ୍ରିୟତା ରହିଛି । ବର୍ତ୍ତମାନ ରାଜ୍ୟର ପ୍ରମୁଖ କାର୍ଯ୍ୟକ୍ରମରେ ଏହି ନୃତ୍ୟ ପରିବେଷଣ କରାଯାଉଛି । ଆଗାମୀ ଦିନରେ ରାଜ୍ୟ ବାହାରେ ଏବଂ ବିଦେଶରେ ଏହାକୁ ପରିବେଷଣ କରିବାକୁ ଲକ୍ଷ୍ୟ ରଖିଛୁ ।"

ଶିଶୁ କଳାକାର ଶ୍ରୀୟାଶିଂ ପାଣିଗ୍ରାହୀ କହିଛନ୍ତି,"ସେ ଗୁରୁ ସମୀର ବେହେରାଙ୍କ ଠାରୁ କାଠପାଦ ନୃତ୍ୟ ଗତ ଏକ ବର୍ଷ ଧରି ଶିକ୍ଷା କରୁଛନ୍ତି । ଉଭୟ ସଙ୍ଗୀତ ଏବଂ ବାଦ୍ୟର ତାଳେ ତାଳେ ନୃତ୍ୟ କରୁଛି ।"

କାଠପାଦ ସହିତ ଗାହାଣୀ ନୃତ୍ୟର ଅପୂର୍ବ ସମନ୍ବୟ: ଛତ୍ରପୁର ଗାହାଣୀ ଗୁରୁ ଡି.ନାଗେଶ୍ୱରଙ୍କ କହିଛନ୍ତି, "ଗଞ୍ଜାମ ଜିଲ୍ଲାର ରଣପା ନୃତ୍ୟ ଭଳି କାଠପାଦ ନୃତ୍ୟ ପାଇଁ ମଧ୍ୟ ଦର୍ଶକଙ୍କ ମନରେ ବେଶ ଉତ୍କଣ୍ଠା ରହିଛି । କାଠପାଦ ନୃତ୍ୟ ସହିତ ଗ୍ରାମାଞ୍ଚଳରେ ଅଧିକ ମାତ୍ରାରେ ପ୍ରଚଳିତ ଗାହାଣୀ ନୃତ୍ୟର ମଧ୍ୟ ଶିକ୍ଷା ପ୍ରଦାନ କରାଯାଉଛି । କାଠପାଦ ନୃତ୍ୟ କରୁଥିବା ଛାତ୍ରୀମାନେ ଗାହଣୀ ସହିତ କିପରି ମଞ୍ଚରେ ନୃତ୍ୟ ପରିବେଷଣ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ଗାହାଣୀ ଏକ ପ୍ରକାରର ଦଣ୍ଡନୃତ୍ୟ ଅଟେ । ମାକାଳୀଙ୍କ କଥାବସ୍ତୁ ଏବଂ କୋଠିଶାଳ ଗୀତକୁ ନେଇ ଏହି ଗାହାଣୀ ମାଧ୍ୟମରେ ନୃତ୍ୟ ପ୍ରଦର୍ଶନ କରାଯାଉଛି ।"

ରିୟଲିଟି ସୋ ଠାରୁ ବିଭିନ୍ନ ମଞ୍ଚ ପର୍ଯ୍ୟନ୍ତ ଯାତ୍ରା:କାଠପାଦ ନୃତ୍ୟର ଗୁରୁ ତଥା ଛତ୍ରପୁର ସମୀର ନୃତ୍ୟ କେନ୍ଦ୍ରର ମୁଖ୍ୟ ସମୀର କୁମାର ବେହେରାଇଟିଭି ଭାରତ ସହିତ ଆଲୋଚନା କରି କହିଛନ୍ତି, "

କାଠପାଦ ନୃତ୍ୟ ପୂର୍ବରୁ ଗ୍ରାମାଞ୍ଚଳରେ ଲୋକପ୍ରିୟ ଥିଲା । ଏହାର ବିଶେଷ ପ୍ରଚାର ପ୍ରସାର ଅଭାବରୁ ଏହା କିଛି ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହିଥିଲା । ଗତ ୨୦୧୩ ମସିହାରୁ ଏହି ନୃତ୍ୟର ପୁନଃ ବହୁଳ ଭାବରେ ପ୍ରଚାର ପ୍ରସାର ହେବା ନେଇ ଉଦ୍ୟମ ଆରମ୍ଭ କରିଥିଲୁ । ଏହାପରେ ବିଭିନ୍ନ ଟିଭି ଚ୍ୟାନେଲର ରିୟଲିଟି ସୋ ଠାରୁ ଆରମ୍ଭ କରି ବିଭିନ୍ନ ମଞ୍ଚରେ ଏହାକୁ ପ୍ରଦର୍ଶୀତ କରାଯାଇଥିଲା । ଯାହା ଫଳରେ ବର୍ତ୍ତମାନ କାଠପାଦ ନୃତ୍ୟ ଏବେ ସମସ୍ତଙ୍କ ନିକଟରେ ବେଶ ଆଦୃତ ହୋଇପାରିଛି । ପୂର୍ବରୁ ଏଥିପ୍ରତି ପୁରୁଷମାନେ ଆଗ୍ରହ ପ୍ରକାଶ କରୁଥିଲେ ହେଲେ ଧିରେ ଧିରେ ଛାତ୍ରୀମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ମୁଁ ଗୁରୁ ଲିଙ୍ଗରାଜ ସାହୁଙ୍କ ଠାରୁ ଏହି ନୃତ୍ୟ ଶିକ୍ଷା କରିଥିଲି ।"

ଏହା ମଧ୍ୟ ପଢନ୍ତୁ:ଦଶହରାରେ ହିନ୍ଦୁ-ମୁସଲମାନ ଭାଇଚାରାର ଝଲକଦୁର୍ଗାପୂଜା ପାଇଁ ମୁସଲିମଙ୍କ ଘରୁ ଆସେ ଶୁଭ କଳସପୋଥିଚିତ୍ରର ଯାଦୁଗର ଗୁରୁ ମାଗା ନାୟକମିଳିନି କଳାକୁ ସମ୍ମାନରାବଣ ତିଆରିରେ ଗଲାଣି ଅଧା ଜୀବନଦଶହରା ଆସିଲେ ମନେ ପଡନ୍ତି 'ରାବଣ ମାଉସୀ'କଟକର ପ୍ରଥମ ଓ ପୁରୁଣା ଦୁର୍ଗାପୂଜା ମଣ୍ଡପ୫୦୦ ବର୍ଷ ଧରି ସମାନ ପଦ୍ଧତିରେ ମା'ଙ୍କ ଆରାଧନାବିଶ୍ୱ ଦେଖିଲା ଓଡ଼ିଆ ଝିଅଙ୍କ ପାରଦର୍ଶିତାୱେଲ୍ଡିଂ ଚାମ୍ପିଅନସିପରେ ଚମକିଲେ 4 ଇଂଜିନିୟରିଂ ଛାତ୍ରୀ

କାଠପାଦ ନୃତ୍ୟ ନେଇ ସାଂସ୍କୃତିକ ଗବେଷକ ଡା.କୁଳମଣି ଓଝା ଆଲୋଚନା ସମୟରେ କହିଛନ୍ତି, "ଗଞ୍ଜାମର ଲୋକସଂସ୍କୃତି ଏବଂ ପ୍ରଦର୍ଶନଶୀଳ କଳା ସମ୍ପର୍କରେ ଅଧ୍ୟୟନ ସମୟରେ ଜଣାପଡେ କାଠପାଦ ନୃତ୍ୟ ଏକ ଅଭିନବ ପ୍ରୟାସ । ଗ୍ରାମାଞ୍ଚଳର ଠାକୁରାଣୀ ଯାତ୍ରା ସମୟରେ ଏହି କାଠପାଦ ନୃତ୍ୟ ବହୁଳ ମାତ୍ରାରେ ଦେଖିବାକୁ ମିଳେ । ରଣପା ନୃତ୍ୟ ବିଶ୍ୱସ୍ତରର ମାନ୍ୟତା ପ୍ରାପ୍ତ । ବର୍ତ୍ତମାନ ଅଭିନବ ଉପାୟରେ କାଠପାଦ ନୃତ୍ୟର ଲୋକପ୍ରିୟତା ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ବହୁ ରାଜାମାନେ ଏହି ନୃତ୍ୟର ପୃଷ୍ଠପୋଷକତା କରିଥିଲେ। ସେ ସମୟରେ ରାଜାନୁଗତ ନୃତ୍ୟ ସଙ୍ଗୀତ ପରିବେଶଣ କରାଯାଉଥିଲା । ଏଣୁ ଏଭଳି ଏକ ନୃତ୍ୟକୁ ରାଜନ୍ୟ ମଣ୍ଡଳୀମାନେ ପୃଷ୍ଠପୋଷକତା କରିଆସୁଥିବା ଜଣାପଡେ ।"

ଇଟିଭି ଭାରତବ୍ରହ୍ମପୁର/September 25, 2025


No comments:

Post a Comment