Dr. ପ୍ରଦୀପ ମହାପାତ୍ର
ବ୍ରହ୍ମପୁର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୩ ଏପ୍ରିଲ ୪ ତାରିଖ ସୋମବାର ମଧ୍ୟରାତ୍ରୀ-ଏପ୍ରିଲ ୫ ତାରିଖ ମଙ୍ଗଳବାର ପ୍ରତ୍ୟୁଷରେ ବିଧିବଦ୍ଧଭାବେ ଆରମ୍ଭ ହୋଇଛି। ଏହି ଉତ୍ସବ ମେ’ ପହିଲା ସୋମବାର ଯାଏଁ ପାଳିତ ହୋଇ ମେ ୨ ତାରିଖ ମଙ୍ଗଳବାର ପ୍ରଭାତରେ ଉଦଯାପିତ ହେବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଚଳିତ ବର୍ଷ ୨୮ ଦିନ ଯାତ୍ରା ଆୟୋଜିତ ହେବ । ପାରମ୍ପରିକ ଯାତ୍ରାସ୍ଥଳୀ ବଡ଼ବଜାର ଦେଶୀବେହେରା ସାହିରେ ମାର୍ଚ୍ଚ ୧୭ ତାରିଖ ରାତିରେ ଅନୁଷ୍ଠିତ ବୈଠକରେ ଯାତ୍ରା ଆୟୋଜକ ଦେଶୀବେହେରାଙ୍କ କୁଳ-ପୁରୋହିତ ଯାତ୍ରା ଆୟୋଜନ ତିଥି ଘୋଷଣା କରିଥିଲେ । ତଦ୍ ଅନୁଯାୟୀ କାର୍ଯ୍ୟକ୍ରମ ଅଗାଇଛି ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅବଧି ପାରମ୍ପରିକଭାବେ ପ୍ରଶାସନିକ ନିଷ୍ପତ୍ତି ଉପରେ ନିର୍ଭର କରିଥାଏ । ସାଧାରଣତଃ ଯାତ୍ରା ତିନି ସପ୍ତାହ ବା ତଦୂର୍ଦ୍ଧ ଦିବସ ଧରି ଚାଲିଥାଏ । ଦେଖାଯାଇଛି ଯେ ଯାତ୍ରା ଆୟୋଜନ ତିଥି ନିର୍ଦ୍ଧାରଣପରେ ଆୟୋଜକ ଦେଶୀବେହେରାଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଅନୁମୋଦନ ନିମନ୍ତେ ଦରଖାସ୍ତ କରାଯାଏ । ଅଧିକାଂଶ କ୍ଷେତ୍ରରେ ପ୍ରଶାସନ ସୀମିତ ସମୟରେ ଯାତ୍ରା ପାଳନ ନିମନ୍ତେ ଅନୁମତି ପ୍ରଦାନ କରିଥାନ୍ତି ଏବଂ ଯାତ୍ରାର ଅବଧି ବୃଦ୍ଧି ନିମନ୍ତେ ପୁନଃ ଦରଖାସ୍ତ କରାଯିବାପରେ ଅଧିକା କିଛି ଦିନ ଲାଗି ଅନୁମତି ମିଳିଥାଏ ।
ବ୍ରହ୍ମପୁର ଠାକୁରାଣୀଯାତ୍ରାର ବିଗତ ଦଶ ବର୍ଷର ଇତିହାସ ଅନୁଧ୍ୟାନ କଲେ ୨୦୧୧ ମସିହାରେ ଯାତ୍ରା ୨୯ ଦିନ ଅନୁଷ୍ଠିତ ହୋଇଥିଲା । ୨୦୧୩ ମସିହାରେ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ, ୨୫ ଦିନ ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ ପ୍ରଥମେ ୧୫ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିଲେ ଏବଂ ପରେ ପୁଣି ୯ ଦିନ ଯାତ୍ରାର ଅବଧି ବଢ଼ାଇଥିଲେ । ସେହିପରି ୨୦୧୫ରେ ଦୁଇଗୋଟି କିସ୍ତିରେ ୩୧ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ୨୦୧୭ ମସିହାରେ ଦୁଇ କିସ୍ତିରେ ଯାତ୍ରାର ଅବଧି ନିର୍ଦ୍ଧାରଣ ବଦଳରେ ଏକା ଥରକେ ୩୦ ଦିନ ଯାତ୍ରା ଆୟୋଜନ ଅନୁମତି ପ୍ରଦାନ କରିଥିଲେ । ଏପ୍ରିଲ ୨ରୁ ମେ ପହିଲା ଯାଏଁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୨୦୧୯ରେ ମାର୍ଚ୍ଚ ୨୯ରୁ ଏପ୍ରିଲ ୨୯ ଏକ ମାସ ବ୍ୟାପୀ ଯାତ୍ରା ପାଳିତ ହୋଇଥିଲା । ତେବେ ୨୦୨୧ରେ କୋଭିଡ଼-୧୯ ମହାମାରୀ କାରଣରୁ ପ୍ରଶାସନିକ କଟକଣା ହେତୁ ଯାତ୍ରା ପାଳନ କେବଳ ଔପଚାରିକତାରେ ଆବଦ୍ଧ ରହିଥିଲା ।
ଲୋକମୁଖରୁ ଜଣାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବାବସ୍ଥାରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଦୁଇ ମାସ ଯାଏଁ ଅନୁଷ୍ଠିତ ହେଉଥିଲା । ଯାତ୍ରାରେ ଧାର୍ମିକ ରୀତି-ନୀତି ସହ ରଥ, କଳାକୁଞ୍ଜ ଓ ବେଶଧାରଣ ସମୟକ୍ରମେ ଯୋଡ଼ି ହୋଇଆସିଛି । ଯାତ୍ରାର ଏହି ସାମାଜିକ ବିଭବଗୁଡ଼ିକ ଯାତ୍ରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଜନସମାଗମ ହେତୁ ଆଇନ ଶୃଙ୍ଖଳା ଓ ପରିମଳ ରକ୍ଷା, ଜଳଯୋଗାଣ, ଜନସ୍ୱାସ୍ଥ୍ୟ ଇତ୍ୟାଦି ବିଭିନ୍ନ ଦିଗକୁ ବିଚାରକୁ ନେଇ ସ୍ଥାନୀୟ ପ୍ରଶାସନ ଯାତ୍ରାର ଅବଧି ଅନୁମୋଦନ କରିଥାନ୍ତି । ଅତୀତରେ ଗଣମାଧ୍ୟମ ଓ ଯୋଗାଯୋଗ ସୁବିଧା ସୁଯୋଗ ଅବହେଳିତ ଅବସ୍ଥାରେ ରହିଥିଲା । ଯାତ୍ରା ଆୟୋଜନ ମୁଖ୍ୟତଃ ଲୋକମୁଖରେ ପ୍ରଚାରିତ ହେଉଥିଲା ଏବଂ ପଡ଼ୋଶୀ ଗ୍ରାମାଞ୍ଚଳରୁ ଦର୍ଶନାର୍ଥୀ ସପରିବାରେ ଶଗଡ଼ରେ ବ୍ରହ୍ମପୁର ବଡ଼ବଜାର ପହଞ୍ଚୁଥିଲେ । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଅଞ୍ଚଳିକ ଟେଲିଭିଜନ ଚ୍ୟାନେଲ ଠାକୁରାଣୀଯାତ୍ରାର ଧାରା ବିବରଣୀ ରାଜ୍ୟବ୍ୟାପୀ ପହୁଞ୍ଚାଇ ଦେଇଥିବା ସ୍ଥଳେ ଦ୍ୱିତୀୟ ଦଶକରେ ସାମାଜିକ ଗଣମାଧ୍ୟମର ପ୍ରସାର ସୂଚ଼ନା-ପ୍ରାଚ଼ର୍ଯ୍ୟ ପରିବେଶ ସୃଷ୍ଟି କରିଛି । ଗ୍ରାମାଞ୍ଚଳରେ ପ୍ରତି ଦୁଇଗୋଟି ପରିବାର ମଧ୍ୟରୁ ଗୋଟିଏ ପରିବାରରେ ଦୁଇ ଚକିଆ ମଟର ସାଇକେଲ ଏବଂ ପ୍ରତି ଗ୍ରାମକୁ ପକ୍କା ରାସ୍ତା ଯୋଗାଯୋଗ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି । ଏହି କାରଣରୁ ଯାତ୍ରା ପାଳନର ନିର୍ଦ୍ଧିଷ୍ଟ କାର୍ଯ୍ୟସୂଚ଼ୀ ଅଗ୍ରୀମ ନିର୍ଦ୍ଧାରଣ ଯୁଗ ଉପଯୋଗୀ ମନେହୁଏ ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେବଠୁ ଆଡ଼ମ୍ୱର ସହକାରେ ପାଳିତ ହେଲା ଭଳି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ରଥ, କଳାକୁଞ୍ଜ ଓ ବିଦ୍ୟୁତ ଆଲୋକ ବ୍ୟବସ୍ଥା ମନକୁ ଆସିଥାଏ । ଗତ ୨୦୧୩ ମସିହା ଯାତ୍ରାରେ କାଳୁପାତ୍ର ସାହିର ଜ୍ୱାଳାମୁଖୀ ରଥ ଆରମ୍ଭର ୭୫ ବାର୍ଷିକୀ ‘ପ୍ଳାଟିନମ ଜୁବୁଲି’ ପାଳନ କରାଯାଇଥିଲା । ଅର୍ଥାତ, ରଥ ୧୯୩୯ରେ ଆରମ୍ଭ ହୋଇଥିଲା । ପୂର୍ବେ ରଥଗୁଡ଼ିକରେ ଚକ ଲାଗୁଥିଲା । ବିଭିନ୍ନ ସାହିରେ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମରେ ରଥ ନିର୍ମିତ ହେବା ପରେ ବଡ଼ ବଜାର ଛକକୁ ଟାଣି ଟାଣି ଅଣାଯାଉଥିଲା । ବର୍ତ୍ତମାନ ସେହି ପରମ୍ପରାର ବିଲୋପ ଘଟିଛି । ରଥଗୁଡ଼ିକ ବଡ଼ ବଜାର ପଡ଼ୋଶୀ ବିଭିନ୍ନ ସାହିରେ ପ୍ରଦର୍ଶିତ ହେଉଛି । ଏକପକ୍ଷରେ ଯାତ୍ରା ଆରମ୍ଭ ହେବାପରେ ରଥ ନିର୍ମାଣ ନିମନ୍ତେ ଉଦ୍ୟମ ହୁଏ ଏବଂ ଯାତ୍ରାର ଶେଷ ସପ୍ତାହକ ଲାଗି ପ୍ରଦର୍ଶନର ବ୍ୟବସ୍ଥା କରାଯାଏ । ଏହା ବ୍ୟୟବହୁଳ ଓ ସଂପୃକ୍ତ ରଥ ଉଦ୍ୟୋକ୍ତାଙ୍କୁ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ଅପରପକ୍ଷରେ ଯାତ୍ରାରେ ରଥ ପ୍ରଦର୍ଶିତ ହେଲେ ହେଁ ଯାତ୍ରୀଙ୍କ ଭିଡ଼ ଜମିଥାଏ । ଏହି କାରଣରୁ ଯାତ୍ରାର ଅବଧି ବୃଦ୍ଧି ଏକ ଆବଶ୍ୟକତାରେ ପରିଣତ ହେଉଥିଲା । କିନ୍ତୁ ସମକାଳରେ ସେହି ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କୁହାଯାଇପାରେ । ତେଣୁ ଯାତ୍ରାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଆଧାରରେ ରଥ ଓ କଳାକୁଞ୍ଜ ନିର୍ମାଣ ଭଳି ବିଭିନ୍ନ ଆୟୋଜନ ଆଶା କରାଯାଇପାରେ ।
#ବ୍ରହ୍ମପୁରଠାକୁରାଣୀଯାତ୍ରା #BrahmapurThakuraniJatra
No comments:
Post a Comment